ପ୍ରମୂଖ ଖବର
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

ଶୀତଦିନେ ବଢେ ବାଥ୍‌ରୁମ୍‌ରେ ଷ୍ଟ୍ରୋକ୍‌ ଆଶଙ୍କା, ଜାଣନ୍ତୁ କେଉଁମାନଙ୍କଠାରେ ଅଧିକ ଦେଖାଦିଏ ଏହି ସମସ୍ୟା

Published By : Prameya | January 17, 2025 1:51 PM

ଭୁବନେଶ୍ୱର ୧୭/୦୧: ବାଥ୍‌ରୁମ୍‌ରେ ଷ୍ଟ୍ରୋକ୍‌ ବିଷୟରେ ସମସ୍ତେ ଶୁଣିଥିବେ ନିଶ୍ଚୟ । ଏହା ଏମିତି ଏକ ସ୍ୱାସ୍ଥ୍ୟ ସମସ୍ୟା, ଯାହା ବିଶେଷକରି ଶୀତଦିନେ ଅଧିକ ଦେଖାଦେଇଥାଏ । ଷ୍ଟ୍ରୋକ୍‌ ବ୍ୟକ୍ତିକୁ ସେତେବେଳେ ଅନୁଭବ ହୋଇଥାଏ ଯେତେବେଳେ ମସ୍ତିଷ୍କକୁ ରକ୍ତ ପ୍ରବାହ ବାଧିତ ହୋଇଥାଏ । ଫଳରେ ବ୍ୟକ୍ତିର ମସ୍ତିଷ୍କରେ ଥିବା କୋଷିକାଗୁଡିକ କ୍ଷତିଗ୍ରସ୍ତ ହୋଇଥାନ୍ତି । ଅବଶ୍ୟ ଷ୍ଟ୍ରୋକ୍‌ କେବେବି ହୋଇପାରେ । ଏହାର କୌଣସି ନିର୍ଦ୍ଧିଷ୍ଟ ସମୟ ନଥାଏ । କିନ୍ତୁ ଶୀତଦିନେ କେତେକ କାରକ ଯୋଗୁ ବାଥ୍‌ରୁମ୍‌ ଷ୍ଟ୍ରୋକ୍‌ର ଆଶଙ୍କା ବଢିଥାଏ ।

ଶୀତଦିନେ ଯଦି କେହି ଥଣ୍ଡାପାଣିରେ ସ୍ନାନ କରୁଥାନ୍ତି, ଆଉ ଥଣ୍ଡାପାଣି ସିଧାସଳଖ ଭାବେ ମୁଣ୍ଡରେ ପକାଉଥାନ୍ତି । ତେବେ ମସ୍ତିଷ୍କର ତାପମାତ୍ରାକୁ ନିୟନ୍ତ୍ରିତ କରୁଥିବା ଏଡ୍ରୋନଲିନ୍‌ ହର୍‌ମୋନ୍‌ ତୀବ୍ର ବେଗରେ କ୍ଷରଣ ହୋଇଥାଏ । ଅଚାନକ ରକ୍ତଚାପ ଭାବେ ବଢିଯାଇଥାଏ । ବ୍ୟକ୍ତି ଷ୍ଟ୍ରୋକ୍‌ର ଶିକାର ହୋଇଥାନ୍ତି ।

କେଉଁମାନଙ୍କଠାରେ ଆଶଙ୍କା ଅଧିକ?

ଏହା ଯେକୌଣସି ବ୍ୟକ୍ତିଙ୍କୁ ହୋଇପାରେ । କିନ୍ତୁ ଅନ୍ୟମାନଙ୍କ ତୁଳନାରେ ବୟସ୍କମାନଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ର ଆଶଙ୍କା ଅଧିକ ରହିଥାଏ । କାରଣ ବୟସ ବଢିବା ସହ ମସ୍ତିଷ୍କର କୋଷିକାମାନେ ଦୁର୍ବଳ ହୋଇପଡିଥାନ୍ତି । ଫଳରେ ରକ୍ତଚାପ ଉଚ୍ଚ ହେବା ସହ ଧମନୀରେ ରକ୍ତ ଜମାଟ ବାନ୍ଧିଯାଏ କିମ୍ବା ଅନେକ ସମୟରେ ବ୍ରେନ୍‌ ହାମରେଜ୍‌ ମଧ୍ୟ ହୋଇଥାଏ । ଏହାବ୍ୟତୀତ ହୃଦ୍‌ଘାତ, ମୋଟାପଣ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ପରି ରୋଗରେ ଗ୍ରସିତ ବ୍ୟକ୍ତିଙ୍କଠାରେ ମଧ୍ୟ ସାଧାରଣ ଲୋକଙ୍କଠାରୁ ଷ୍ଟୋକ୍‌ର ଆଶଙ୍କା ଅଧିକ । 

ଆଶଙ୍କାକୁ ବଢାଉଥିବା କାରକ: 

ଗାଧୁଆଘରେ ଷ୍ଟ୍ରୋକ୍‌ ବଢାଉଥିବା କାରକ ଯେପରିକି ଇଶ୍ଚେମିକ୍‌ ଷ୍ଟ୍ରୋକ୍‌, ରକ୍ତସ୍ରାବୀ ଷ୍ଟ୍ରୋକ୍‌ ଏବଂ ମସ୍ତିଷ୍କରେ ଅସ୍ଥାୟୀ ରକ୍ତ ପ୍ରବାହରେ ବାଧା ମଧ୍ୟ ହୋଇପାରେ । ଏସବୁ ସମସ୍ୟା ଗାଧୁଆ ଘର ଷ୍ଟ୍ରୋକ୍‌ ଆଶଙ୍କାକୁ ବଢାଇଥାଏ । 

ରକ୍ତଚାପ ଅଚାନକ୍‌ ବଢିବା-କମିବା: ଅଚାନକ୍‌ ରକ୍ତଚାପ ବଢିବା ବା କମିବା ଷ୍ଟ୍ରୋକ୍‌ର ଅନ୍ୟତମ ପ୍ରମୁଖ କାରଣ ହୋଇଥାଏ । ବିଶେଷଜ୍ଞଙ୍କ ମତରେ ଗାଧୁଆ ଘର ସାୱରରୁ ହଠାତ୍‌ ଗରମ ପାଣି ଆସିବା ଦ୍ୱାରା ରକ୍ତବାହିକା ନଳୀ ହଠାତ୍‌ ସଂପ୍ରସାରିତ ହେବା ଦ୍ୱାରା ରକ୍ତଚାପ ଅଚାନକ୍‌ ଖସି ଯାଇଥାଏ, ଯାହା ଷ୍ଟ୍ରୋକ୍‌ର କାରଣ ହୋଇପାରେ । ଏହାର ବିପରୀତ ମଧ୍ୟ ଷ୍ଟ୍ରୋକ୍‌ର କାରଣ ହୋଇଥାଏ । 

ମଳତ୍ୟାଗ ସମୟରେ ଚିନ୍ତା: ଗାଧୁଆ ଘରେ ଷ୍ଟ୍ରୋକ୍‌ ହେବାର ଅନ୍ୟତମ ପ୍ରମୁଖ କାରଣ କବ୍ଚରେ ପୀଡିତ ବ୍ୟକ୍ତି ମଳତ୍ୟାଗ କରିବା ସମୟରେ କଷ୍ଟ ଅନୁଭବ କରିଥାନ୍ତି । ଫଳରେ ଚିନ୍ତାଗ୍ରସ୍ତ ହୋଇ ପଡିଥାନ୍ତି । ଏହି ଚିନ୍ତା ଅଚାନକ୍‌ ରକ୍ତଚାପକୁ ବଢାଇପାରେ । ଏହା ସ୍ପାଇକ୍‌ ରକ୍ତସ୍ରାବୀ ଷ୍ଟ୍ରୋକ୍‌ର କାରଣ ହୋଇପାରେ । 

ଜଳାଭାବ: ଶରୀରରେ ଜଳର ଅଭାବ ଏକ ସାଧାରଣ ସମସ୍ୟା, ଯହା ଷ୍ଟ୍ରୋକ୍‌ର ଆଶଙ୍କାକୁ ବଢାଇଥାଏ । ବିଶେଷକରି ଗାଧୁଆ ଘରର ପରିବେଶ ଭିତରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗରମ ପାଣିରେ ସ୍ନାନ କରିବା ଦ୍ୱାରା ଶରୀରରେ ଜଳାଭାବ ବଢିଥାଏ । ଏହା ରକ୍ତକୁ ଗାଢା କରି ଦେଇଥାଏ । ଫଳରେ ବୟସ୍କ ଲୋକମାନେ ଥକ୍କା ଅନୁଭବ କରିଥାନ୍ତି । 

ପଡିବା କିମ୍ବା ମୁଣ୍ଡରେ ଆଘାତ ଲାଗିବା: ଗାଧୁଆ ଘରର ଭୂଇଁ ଓଦା ରହିବା ଦ୍ୱାରା ଅନେକ ସମୟରେ ପାଦ ଖସିବା ଖୁବ୍‌ ସାଧାରଣ କଥା । ଗାଧୋଇବା ସମୟରେ ଗାଧୁଆ ଘରେ ପଡିବା ଦ୍ୱାର ମୁଣ୍ଡ ଫାଟିବା କିମ୍ବା ମାଡ ହେବା ପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥାଏ । ଫଳରେ ଷ୍ଟ୍ରୋକ୍‌ ହେବା କିମ୍ବା ମୁଣ୍ଡ ମାଡ ହେବା ଦ୍ୱାରା ମଧ୍ୟ ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଥାଏ । ଯଦି କୌଣସି ବ୍ୟକ୍ତିଠାରେ କିଛି ନ୍ୟୁରୋଲୋଜିକାଲ୍‌ ସମସ୍ୟା ରହିଥାଏ, ସେମାନଙ୍କ କ୍ଷେତ୍ରରେ ଏହାର ଆଶଙ୍କା ଅଧିକ ରହିଥାଏ ।

କେମିତି ଦୂର କରିବେ? 

ସାମାନ୍ୟ ସାବଧାନ ରହିବା ଦ୍ୱାରା ଏହି ସମସ୍ୟାକୁ ଦୂର କରାଯାଇପାରିବ । 

ଯେପରିକି ରକ୍ତଚାପ ଯାଞ୍ଚ କରିବା: ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା । ଯେଉଁମାନଙ୍କର ରକ୍ତଚାପ ଅଚାନକ୍‌ କମ୍‌-ଅଧିକ ହେଉଛି । ସେମାନେ ଗରମ ପାଣିରେ ସ୍ନାନ କରିବା ଅନୁଚିତ୍‌ । ଯଦି ଖୁବ୍‌ ଜରୁରି, ତେବେ ହାଲ୍‌କା ଉଷୁମ ପାଣିରେ ସ୍ନାନ କରିପାରିବେ । 

ପର୍ଯ୍ୟାପ୍ତ ପାଣି ପିଅନ୍ତୁ: ରକ୍ତ ପ୍ରବାହକୁ ନିୟନ୍ତ୍ରିତ ରଖିବା ଓ ରକ୍ତକୁ ଗାଢା ହେବାରୁ ରକ୍ଷା କରିବା ପାଇଁ ଗାଧୋଇ ଯିବା ପୂର୍ବରୁ ଓ ପରେ ପାଣି ପିଇବା ଆବଶ୍ୟକ । 

କବ୍ଚକୁ ହାଲ୍‌କା ଭାବନ୍ତୁନି: କବ୍ଚକୁ ଆଦୌ ହାଲ୍‌କା ଭାବନ୍ତୁନି । ବରଂ କବ୍ଚର ଚିନ୍ତାକୁ ଦୂର କରିବା ପାଇଁ ଖାଦ୍ୟରେ ବହୁ ମାତ୍ରାର ଫାଇବର ସାମିଲ୍‌ କରନ୍ତୁ । ସେହିପରି କବ୍ଚ ଓ ଜଳାଭାବ ସମସ୍ୟାକୁ ଦୂର କରିବାକୁ ପ୍ରୟାସ କରନ୍ତୁ । 

ଅତ୍ୟଧିକ ଗରମ ପାଣିଠରୁ ଦୂରେଇ ରୁହନ୍ତୁ: ସ୍ନାନ କରିବା ପାଇଁ ଅତ୍ୟଧିକ ଗରମ ପାଣିର ବ୍ୟବହାର କରନ୍ତୁନି । ବରଂ ହାଲ୍‌କା ଉଷୁମ ପାଣି ହିଁ ବ୍ୟବହାର କରନ୍ତୁ । କାରଣ ଅତ୍ୟଧିକ ଗରମ ପାଣି ଅଚାନକ ରକ୍ତଚାପକୁ ପ୍ରଭାବିତ କରିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.